Unknown

 

 

 

 

 

 

 

 

 

 

ମାଧୁର୍ଯ୍ୟ ବିଳାସ

ଗୋକୁଳାନନ୍ଦ ପଟ୍ଟନାୟକ

 

ଚାହାଁ ଚାହଁଲୋ ମିତ

 

ଚାହାଁ ଚାହାଁଲୋ ମିତ ନଦୀ ତଟକୁ

ଗୋପ ଭୂପ ସୁତ ଧୃତ ପୀତପଟକୁ

ହାସ ମନ୍ଦ ମନ୍ଦ ବୃନ୍ଦାରକ ବୃନ୍ଦ

ବନ୍ଦିତ ଅନିନ୍ଦ୍ୟ କାନ୍ତ ବୃନ୍ଦାବନ ବିଟକୁ ।୧।

 

ଉଣ୍ଡ ମୁଣ୍ଡେ ଦୋଳେ ଶିଖଣ୍ଡ ଚୂଳ

ଗଣ୍ଡଦେଶେ ମକର କୁଣ୍ଡଳ ।

ଯାମଳ ଅର୍ଜୁନ ପାଦପ ଭଞ୍ଜନ

କାଳିୟ ଗଞ୍ଜନ ଦଳିତ ଅଞ୍ଜନ, ନୟନ ରଞ୍ଜନ ଛବି ସ୍ଫୁଟକୁ ।୨।

 

କପଟ ଲମ୍ପଟ ପଣେ ନୁହେଁ ନିପଟ

ଅଟକାଇ ବାଟେଘାଟେ ପିଟଇ ଘଟ ।

ସୁତ ନନ୍ଦର, ଧୃତ ମନ୍ଦର, ଜିତ ପନ୍ଦର ନେତ୍ର ସୁନ୍ଦର

ଖ୍ୟାତ ହୁନ୍ଦରଏ ପୀତ ପଟକୁ ।୩।

 

ଦୁର୍ଦଣ୍ଡ ଦଣ୍ଡଧର ଦଣ୍ଡ ଖଣ୍ଡନ କର

ଦଣ୍ଡକ ବିହାରୀ କାଣ୍ଡ କୋଦଣ୍ଡ କର

ଦୀନ ଗୋକୁଳାନନ୍ଦ ମାନସ ଭ୍ରସଳ

ପରିମଳ ଅମଳ କମଳାଂଘ୍ରି ଯୁଗଳ, ଖଣ୍ଡକର ମୋ ପାପ କୀଟକୁ ।୪।

 

୧. ହୁନ୍ଦର – ମନମୋହକାରିତା,

୨. ଭ୍ରସଳ – ଭ୍ରମର,

୩. କମଳାଂଘ୍ରି – ପାଦପଦ୍ମ ।

 

ଭ୍ରମର ସହ କେତକୀ

ଭ୍ରମରା ନ ଜାଣି ଆସିଲୁ ହୁଡ଼ିରେ

କାର୍ଯ୍ୟକଲେ ସଜା ପାଇବୁ ମୋ ସଙ୍ଗେ

ଯା’ଯା କହୁଛି ବାହୁଡ଼ିରେ । (ଘୋଷା)

ମୋ ନାମ କେତକୀ ତୋ ଶକ୍ତି କେତେକି

ଯିବଟି କଣ୍ଟା ହାବୁଡ଼ିରେ

ମୂଳକରି ଏହି କଥା ତୁଳ ତୁହି

କୁଳ ତୋର ଯିବ ବୁଡ଼ିରେ ।୧।

ବାସନା ଭୋଗିବା ବାସନା ଭାଷନା

ରସନା ରଶନା ଜଡ଼ିରେ

କହଇ ଗୋକୁଳାନନ୍ଦରେ ମିଳିନ୍ଦ

ମନ୍ଦ ଯାଅ ଶ୍ରୀଘ୍ର ଉଡ଼ିରେ ।୨।

ସୂଚନା : ତଳ ଲିଖିତ ଶ୍ଳୋକର ଛାୟାରେ ଗୀତିକାଟିର ଚିତ୍ର ହୋଇଛି ।

 

ଗନ୍ଧାଢ୍ୟାସା କୁସୁମ ରଜସା କେତକୀ ସ୍ଵର୍ଣ୍ଣବର୍ଣ୍ଣା

ପଦ୍ମଭ୍ରାନ୍ତ୍ୟା ରସିକ ମଧୁପଃ ପୁଷ୍ପ ମଧ୍ୟେ ପ୍ରବିଷ୍ଚାଃ ।

ଅନ୍ଧୀଭୂତାଃ କୁସୁମ ରଜ ସାକାନ୍ଦି ଶୀକାହେ ସର୍ବେ

ଦୂରୀକର୍ତ୍ତୁ ବିଧିବିରଚନଂ ନାସ୍ତି ଶକ୍ତିଃ ଦ୍ଵିରେଫେ ।

 

ବିଦେଶାନୁଚିନ୍ତା

(‘ସ’ ଅନୁପ୍ରାସ)-୧

ସଂଶୟରେ ଧନୀ ଶଶାଙ୍କ ବଦନୀ

ଶିଶିର ନିଶିରେ ବସି ଭାଳୁଥିବ ରାସଦାନୀ । (ଘୋଷା)

ସୁସୁନ୍ଦରୀ ପ୍ରିୟ ସହି ସେ ଶୈତ୍ୟ କଷ୍ଟ ନ ସହି

ସସୌଜନ୍ୟ ଆଦି ତେଜି ସଂସର୍ଗକୁ ମନେ ହେଜି

ସସଙ୍ଗିନୀମିତ, ସଶୋଭିତ ତ୍ୟକ୍ତ

ସଂଶୟ ନଥିବ ନିରନ୍ତର ଝୁରି ରସଦାନୀ ।୧।

ସୁଷୁପ୍ତି୧ ନ ହୋଇବଟି ଶଶୀ ଯେହ୍ନେ ଅଳ୍ପ ତୁଟି

ଶଶାଙ୍କ ହେବ ଶିକାରୀ ଶଶା ଘୋଷେ ମଲାପରି

ଶଶୀ ସୌଖ୍ୟ ହତସେ ଯେ ସୁସଂଭୂତ

ସେତ ଶୈଶବକାଳରୁ ଅଟଇ ସଦାସୁଖିନୀ ।୨।

ଶେଷ ହେବଣିଟି ମୋର, ସୁଷମା ଝୁରିଣ ଘୋର

ଶଶି ପାଠକଙ୍କ ବତସେ ସୌଖ୍ୟବତୀ ହେବତ

ଶାଣ ଶୋଭିନୀରେ ଶମ୍ବରାରି-ଶରେ

ସେହୁ ପାଉଥିବ ଦୁଃଖ ସୁମୁଖୀ ଚାରୁହାସିନୀ ।୩।

 

ଶାଟୀ ହେଉଥିବ ଗୁରୁ ଶିରୀଷ ଶରୀର ସରୁ

ଶିକାର ହେବ ସଂଭୂତ ସୁକୁମାର ଧିନି ରତ

ସୁନା ବରନାର ସେବା ସଖୀବାର

ଶୈଳଜା ଧବଙ୍କୁ ସେବା କରୁଥିବେ ମୋର ଘେନି ।୪।

 

ସୋମାନନ ଥିବ ଶୁଖି ସୌଦାମିନୀ ଗୋରୀ ଦେଖି

ସମ୍ବାଦ ଦାନ ଉଛୁର ସମୀପକୁ ତାର ମୋର

କଳ୍ପନା ବିଷୟ କଷକ ବିଚୟ

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଅଜ୍ଞାନୀ ।୫।

 

୧. ସୁଷୁପ୍ତି – ଗାଢ଼ନିଦ୍ରା,

୨. ଶାଟୀ – ଶାଢ଼ି,

୩. ସୋମାନନ-ଚନ୍ଦ୍ରମୁଖ,

୪. ଶୁଖି – ଶୁଷ୍କହୋଇ।

 

ବିଦେଶାନୁଚିନ୍ତା- ୨

 

ବିଦେଶ ଅନୁଚିନ୍ତା ବାର ହେ ମୋଦେ ନର

ବଦେ ନାୟକ ନାୟିକା ଖେଦେ ହୋଇ ଜରଜର ।(ଘୋଷା)

 

କାମ ନାଶେ ଫଳେ ଚାର କରିବି ମୋର ବିଚାର

ମୁଁ କତିକି ଲଭିବି ଏଥର ।

ଆହାର ତ ନ ରୁଚେ ଦିବସ ନିଶାର,

ମତେ ଭକତି ସ୍ନେହରେ ତାରିବାକୁ କାମ ଦର ।୧।

 

ରସିକବର ସୁମନ ବାରେ ନୋହି କଦାଚନ

ବର ବର୍ଣ୍ଣନା କରେ ଅସ୍ଥିର

ତାହା ପରାପତି ମୋତେ କରିଲେ ହର

ସେ ଘନସ୍ତନୀ ତା ଯୋଗଜୀବନ ଯିବ ମୋହର ।୨।

 

ଖଟି ମତେ ପକାବନ୍ତି ନିଃଶ୍ଵାସ ଖରେ ଭାଷନ୍ତି

ଅବା ଯିବ ଉଡ଼ି ପବନର

ହା’ ରାବରେ ତା ପାଶେ ସୁହୃଦେ କାତର

ରଜନୀ କର କରରେ ଶୋଇବି ମୁଁ ନିରନ୍ତର ।୩।

 

ସୁର-ତରଙ୍ଗିଣୀରେ ସେ ମଜ୍ଜିବା ଇଚ୍ଛା ମାନସେ

ଈଶ ପରାଧୀନ ହେତୁବାର

ବିରହେ ଭାଷି ସେ ଦୁଃଖ ଭୋଗେ ଅନ୍ତର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୪।

 

୧. ମୋଦେ-ଆନନ୍ଦରେ,

୨.ବଦେ – କହେ,

୩. ଖେଦେ – ଦୁଃଖରେ,

୪.ତାହା ପରାପତି (ତାହା ପରାପତି-ପ୍ରାପ୍ତି)-ଶ୍ଳେଷ,

୫. ଘନସ୍ତନୀତ (ଘନର-ମେଘର; ସ୍ତନିତ-ଧ୍ଵନି)-ଶ୍ଳେଷ (ଉତ୍ତ୍ୱଙ୍ଗ ବା ପୃଥୁଳ ସ୍ତନ ଯାହାର),

୬. ହା-ରାବରେ- ‘ହା’ହାକାର ରାବରେ ,

୭.ସୁହୃଦେ – ବନ୍ଧୁମାନେ,

୮. ରଜନୀ କର – ଚନ୍ଦ୍ର ତାଙ୍କ ‘କର’ରେ କିରଣରେ,

୯. ସୁରତରଙ୍ଗିଣୀ- ଦେବନଦୀ ବା ଗଙ୍ଗାନଦୀ, ଭଞ୍ଜଙ୍କର ଏହିଭଳି ଅନେକ କବିତା ଅଛି ।

 

ନାଗରମଣି ଏ କାହାର

 

ନାଗର-ମଣି ଏ କାହାର ରସାସାର

ବନତା ତେଜରେ ଦିଶୁଅଛି ଅତି ମନୋହର । (ଘୋଷ)

 

ସୁରଭି କରେ ପ୍ରଦାନ ରତିଏ କେ ବା ସମାନ

ମୂରତିକି ଇଚ୍ଛଇ ବାମାର,

ଏ ସୁନା ସଦୃଶ ବର୍ଣ୍ଣ କେଡ଼େ ରୁଚିର

ଅନୁମାନ ହେଉଅଛି ନିଶ୍ଟେ ଏ ସୁମନାବର ।୧।

 

ବାଳିଶ ମାନ ପାଇବ କାମିନୀ ରତ ହୋଇବ

ଲୋକ କେ ସରିତ ଅଟବୀର

ଭାବିନି ଆଳୀରେ କରେ ବଡ଼ ଆଦର୧୦

ବର ତରୁଣୀ ହୁଅନ୍ତି ଚିତ୍ତ ଆକୃଷ୍ଟ ମୋହର ।୨।

 

ରସିକ କାହାସଙ୍ଗରେ ବାସବରେ୧୧ ପ୍ରମୋଦରେ

ଆଜୀବନ ବଡ଼ ସୁଖକର

ସୁର-ତରଙ୍ଗିଣୀ୧୨ ବେଶ କରେ ବାହାର

ବରଟା୧୩ ଗତିକି ହେବ ହରକୃପାରେ ତାହାର ।୩।

 

ଶ୍ଳେଷ ଅଭଙ୍ଗ ଭଙ୍ଗା ଭଙ୍ଗରେ ପୂର୍ଣ୍ଣାଙ୍ଗ

ସ୍ତ୍ରୀଲୀଙ୍ଗ ଫୁଲିଙ୍ଗ ଭେଦସାର ।

ରସିକ ରସିକା ଉଭୟଙ୍କ ବିଚାର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୪।

 

 

୧. ନାଗରମଣି – ଶ୍ରେଷ୍ଠରସିକ, ନାଗକନ୍ୟା,

୨. ରସାସାର – ପୃଥିବୀରେ ଶ୍ରେଷ୍ଠ ( ସୁନ୍ଦରୀ )

୩.ସୁରଭି-ଶରୀରର ମନୋରମ ଗନ୍ଧ(ସୁର (ଦେବତା)ଙ୍କ ପ୍ରତିଭୀ (ଭୟ)

୪.ରତିଏ – ଏ ସାକ୍ଷାତ୍‍ କନ୍ଦର୍ପର ସ୍ତ୍ରୀ,ରତି (ରତିଏ-ଏକ ରତି ଅର୍ଥାତ୍‍ ଟିକିଏ),

୫. ସୁନାସଦୃଶ-ସୁନାଭଳିବର୍ଣ୍ଣ,

୬. ସୁମନାର (ଭଲ ମନଥିବା ନାରୀର) ବର, (ଏବର ସୁମନା-ମନସ୍ଵୀ ଅଟେ)

୭. ବାଳୀଶ-ନାରୀଙ୍କ ମଧ୍ୟେ ଶ୍ରେଷ୍ଠ,

୮. କାମିନିରତ-କାମୀ-ସଂଗେ ଯଥେଷ୍ଟ ରତିରତା । ବାଳିଶ-ମୂର୍ଖ ବା ଅଧମ । କାମିନୀରତ –ନାରୀର ରତିକ୍ରୀଡ଼ାରେ ପ୍ରମତ୍ତ।

୯. ସରିତ-ନଦୀ, ଅଟବୀ-ବଣ, ଜଙ୍ଗଲ । ତିମେ ଲୋକ କେସରୀ (ନୃସିଂହ) ଓ ବୀର ଅଟେ । (ଲୋକରେ କିଏ ତୁମ ସରିହେବ?) ।

୧୦. ନିଆଳି ଫୁଲକୁ ଆଦର କରେ । ପୁଣି ସେ ଭାବ ବତୀ ( ଭାବିନୀ) ଆଳୀରେ ଅର୍ଥାତ୍‍ ସଖୀକୁ ଆଦର କରେ,

୧୧. ବାସବ – ଇନ୍ଦ୍ର, ବାସବରେ- ଶ୍ରେଷ୍ଠ ବସାଘରେ, ଇନ୍ଦ୍ରଠାରେ, ସଙ୍ଗରେ – ସାଥିରେ, ରତିସଂଗ୍ରାମରେ ।

୧୨. ସୁରତରଙ୍ଗିଣୀ - ଗଙ୍ଗାନଦୀ, ସୁରତରଙ୍ଗ (କାମକ୍ରୀଡ଼ା) ରତା, (ଅଥବା) ମାର (କନ୍ଦର୍ପ) ତାର ମୂର୍ତ୍ତିକି ଇଚ୍ଛାକରେ । (ମୁଁ ବା ମାର=ସେଇ ନାରୀର ରତିକି ଇଚ୍ଛାକରେ) ଶ୍ଳେଷାସୁ ( ଉତ୍ତମ)ନାସ-ନାସିକା, ଦୃଶ-ଆଖି ଓ ବର୍ଣ୍ଣ ।

୧୩. ବରଟା – ହଂସୀ ।

 

କହ କହଗୋ ଦୂତି

 

କହ କହଗୋ ଦୂତି ରସବତୀକି,

ବୀଣାଜିଣା ଭାଷୀ ବଣା ଏଣୀ ନେତ୍ରୀକି (ଘୋଷା)

 

କରୁଣା ବରଣାଳୟ ଅରୁଣାଧରୀ

ଜଣାଣକୁ ଶୁଣାଇଲେ ଘୃଣାକୁ ଧରି

(ସେ)ଯେଉଁ ନବ କିଶୋରୀ

ସୁନ୍ଦର ବୃନ୍ଦ ପୁରନ୍ଦରୀ

ପନ୍ଦର ବୟସୀ ମନ୍ଦର ଉରଜା ହେମ ଗାତ୍ରୀକି ।୧।

 

ସ୍ମର-ଶରେ ସ୍ମରେ ଦାସ ନିଶି ବାସରେ

ସର ସରେ ଭାଷା ନ ଭାଷଇ ପାଶରେ

ସେ ସର ସରେ

ଖଞ୍ଜନ, ଗଞ୍ଜନ,ଭଞ୍ଜନ ଗୁଞ୍ଜନ କୁନ୍ତଳା ଗଜ ଗତିକି ।୨।

 

ବୃଷଭାନୁ ନୃପ କୁମାରୀ ସୁକୁମାରୀ

ଦୟା ନ କରିଲେ ଦିନ ଯାଉଛି ସରି

(ସେ) ଯେଉଁ ନବକିଶୋରୀ,

ଲଳିତଭାଷୀ, ଭଳିତ ନାହିଁ ଆଳୀତ ଲଳିତ ସଖୀ ଯାର କରେ ନିତିକି ।୩।

 

ଘନ ଜଘନା ଘନକେଶୀ ରତିକି

ନବ ଅପଘନ ଦେଖି ସୁରତିକି

ସ୍ଥିର ନୁହେଁ ମତିକି,

ଦୀନ ଗୋକୁଳାନନ୍ଦ ଯାର ପଦାରବିନ୍ଦ ଝରେ ମକରନ୍ଦ

ସେହି ପାଦ ଭଜେ ନିତିକି ।୪।

 

୧.ଏଣୀ –ହରିଣୀ,

୨.ବରୁଣାଳୟ-ସାଗର, କରୁଣାର ବରୁଣାଳୟ ଯାହାର ସେ ।

 

ମାନଭଞ୍ଜନା

 

ମହୀମଣ୍ଡନା ମହିଳା କଥା ପଦେ କହିଯା’ରେ । (ଘୋଷା)

 

ବିହି ଲିହିଛି ରୂପ ଯା’ କୋଟିକେ ଗୋଟିଏ ଖୋଜା

ତୁହି ସୁନାମୁହୀଁ ମୁହିଁ ଚାହିଁଅଛି ଚାହିଁଯାରେ ।୧।

 

ତୁହିନ ବୋଢ଼ା ସୁନ୍ଦରୀ ତୁହିନ ବିହି ଚାତୁରୀ

ପହଜ କରୁଛି କାମ ଅଙ୍କ ପରେ ରହିଯା’ରେ ।୨।

 

ସହି ପର୍ବତର ଭାର ସହୀ ସହିଛୁ ବକ୍ଷର

ମୋହିଲୁ ତୁ ମନ ମୋର ମୋହିନୀ ତୁ ମୋହିଯାରେ ।୩।

 

କହଇ ଗୋକୁଳାନନ୍ଦ ବହିଲୁ କି ମନେ ଖେଦ

ରୂପରେ ସମାନ ତୋର କେହୁ ହେବକି ହଜାରେ ।୪।

 

୧. ନବୋଢ଼ା – ନବବିବାହିତା,

୨. ଓ

୩. ତୁହିନବିହି- କାକର, ବରଫ, ଶୀତଳତା, ବିହି- ବିଧାନ କରି, ତୁହିନ ବିହି- ଶ୍ଳେଷ,

୪. ସହି –ସହ୍ୟନାମକ ପର୍ବତ ।

 

ଚକାଚାନ୍ଦ ବନ୍ଦନା

 

ଚକାଚାନ୍ଦ ବଦନା ଶକାନା ମୁଁ ଯାଉଛି

କକାଉଲଟି ଡାକିଲେ ସକାଳତ ହେଉଛି। (ଘୋଷା)

 

ଫକା ଦିଶୁଅଛି ପ୍ରାଚୀ ଫିକା ମନ ନୁହେଁ ରୁଚି;

ଫଙ୍କାଫଙ୍କି ନୁହେଁ ଏହା ପକ୍କା କଥା କହୁଛି ।୧।

 

ଏକା ଏକାଳରେ ସହୀ ଡକାପାରୁଥିବୁ ରହି

ଟିକିଏ କଥାକୁ ତୋର ତକାଇ ମୁଁ ରହିଛି ।୨।

 

ବାଙ୍କଚୂଳିଆ କୁମାର ଶଙ୍କା ଢୁକା ଏ ମନର

ଲଙ୍କା ପୋଡ଼ିଲା ପ୍ରକାର ହୃଦ ଦହି ଦେଉଛି ।୩।

 

ଠକା ଠକି ନୁହେଁ ଗୀତ ଠିକା ପଦରେ ରଚିତ

ବକାରି ଧ୍ୟାୟି ଗୋକୁଳାନନ୍ଦ ପଦ ଗାଉଛି ।୪।

 

୧. ବାଙ୍କଚୂଳିଆ କୁମାର – କନ୍ଦର୍ପ (ବାଙ୍କଚୂଳିଆ-କୃଷ୍ଣ, ତାଙ୍କପୁତ୍ର )

 

ବର୍ଷା କାଳରେ ନାୟିକା ଅନୁଚିନ୍ତା

 

ବରଷେ ହେଲା ଆସି ଗତ ଗୋ ପ୍ରାଣମିତ

ବରଷା ରସାରେ କାଳେ ଫେରି ନ ଆସିଲେ କାନ୍ତ ।(ଘୋଷା)

 

ହର ପର ଶର ସହି ହରବର ହେଲି ମୁହିଁ

ଘର ଲାଗଇ ଅରଣ୍ୟବତ

ମରମରେ ବେଦନା ପାଇଲି ବହୁତ

ମରଣରୁ ବଡ଼ ପୀଡ଼ା ଘାଣ୍ଟି ପକାଏ ମୋ ଚିତ୍ତ ।୧।

 

ମାରଇ ବିଜୁଳି ଘନ ଗରଜନ କରେ ଘନ

ଡରଇ ତ ମୁହିଁ ଅବିରତ

ବରହୀ ପରବତରେ କରନ୍ତି ନୃତ୍ୟ

ବିରହିଣିମାନଙ୍କୁ ସେ ଅହି ପରାଏ ଅହିତ ।୨।

 

ଦୂରରେ ରହିଲ ବୋଲି ମୋର କଥା ଗଲ ଭୁଲି

ନାରଖାର ହେଲି ମୁଁ ବହୁତ

କର ମିତ ଉପାୟ ଏଥିକି ତୁରିତ

କରଣ ଗୋକୁଳାନନ୍ଦ ପଟ୍ଟନାୟକ ରଚିତ ।୩।

 

୧. ଘନ-ମେଘ;

୨. ଘନ-ଅତ୍ୟନ୍ତ,

୩. ବରହୀ – ମୟୂର।

 

ବର୍ଷାକାଳରେ ପୁରୁଷର ଅନୁଚିନ୍ତା

 

ରାମ ନୟନୀ ରାମାବର ବରଷାର

ରାମଲକ୍ଷ୍ମଣ-ବଦନା ରାମରେ ଥିବ ବାସର ।(ଘୋଷା)

 

ଲବଣୀପିତୁଳା ସେହି, କୁସୁମ ପରି ହୋଇ

ଲବେ ମାତ୍ର ଜୀବ ଥିବ ତାର

ଭରତ ପରି ହୋଇ ହେଲି ଅନ୍ତର

ଶତ୍ରୁଘ୍ନ ହୋଇଲେ ସିନା ସନ୍ତାପ ହୁଅନ୍ତା ଦୂର ।୧।

 

ଶୁଣି ମେଘନାଦ ଘୋର, ଐରାବଣ ଶମ ନାର

ବିଭୀଷଣ ହେବଣି ସଂଚାର

ସୁଗ୍ରୀବ ବାଳି ହାର କରି ବାହାର

ହନୁରେ ପାଣିକି ଦେଇ ବସିଥିବ ନିରନ୍ତର ।୨।

 

ତାରାପତି ଦରଣନୁ, ରୋମାଞ୍ଚ ହେବଟି ତନୁ

ସିତା ହେବ ପିତା ପରକାର

ସୁବାହୁ ଅଙ୍ଗଦକୁ କରିବ ଦୂର

ଡାଳିମ୍ବ ଦନ୍ତୀ ମଣିଷ ଚନ୍ଦନକୁ ବୈଶ୍ଵାନର ।୩।

 

ଅଗସ୍ତି ପରି ମୁଁ ହେଲି, ସ୍ତନାକୁ ଛାଡ଼ିଲି

ନ ପେଶିଲି ବିରାଟ କୁମର

ଦ୍ରୋଣକୁ ବଳି ଦେଉଥିବ ସତ୍ତ୍ୱର

କହଇ ଗୋକୁଳାନନ୍ଦ ପଟ୍ଟନାୟକ ଗୀତର ।୪।

 

୧. ଶମନା – ଶାନ୍ତକାରିଣୀ,

୨. ସିତା-ଗୁଡ଼, ନବାତକୁମ୍ଭ-ମାଠିଆ,

୩.ଡାଳିମ୍ବ-ମର୍କଟବର

୪. ଚନ୍ଦନ –ମର୍କଟବର,

୫. ଅଗସ୍ତି – ଋଷିବିଶେଷ,

୬. ଦ୍ରୋଣ – କୁଆ।

 

ଏହି କବିତାରେ ଜଣେ ପୁରୁଷ ବର୍ଷାକାଳରେ ନିଜ ଶୃଙ୍ଗାର ବିରହଭାବ ପ୍ରକାଶ କରିବାକୁ ଯାଇ ରାମାୟଣର କତିପୟ ଚରିତ୍ରକୁ ଏପରି ଭାବରେ ପ୍ରୟୋଗ କରିଛନ୍ତି ଯେ, ପଢ଼ିଲାବେଳ ଏହଠାର ନାମଗୁଡ଼ିକରୁ ଯେଉଁ ଦ୍ଵିତୀୟ ଅର୍ଥ ଧ୍ଵନିତ ହେବ ତାହାହିଁ ନିଜ ପ୍ରେମଭାବ ପ୍ରକାଶର ମାଧ୍ୟମରୂପେ ବ୍ୟବହୃତ ହୋଇଛି ବୋଲି ବୁଝିବାକୁ ହେବ ।

 

ମଲ୍ଲୀହାସୀ

 

ମଲ୍ଲୀହାସୀ କାଲି ମୁଁ ଚାଲିଯିବି ବିଦେଶ

କାଲି ଯେତେ ମନେପକାଇବୁ ତେତେ

କଲି ବିନତି ଛଇଳା ତୋ ପାଶ।(ଘୋଷା)

 

ଅଲିଅଳୀ ତୁ ମୋର ସହି, ଗଲି ତୋର ଛାମୁରେ କହି

ବାଲ୍ମୀକ ମୋହନା ନାଳିକ ନୟନା

ପେଲିଦେନା ହେଲି ମୁଁ ତୋର ଦାସ ।୧।

 

ବାଳିଶ ପରି ନୋହିଆଳି, ବାଲିଶରେ ନବସ ଭାଳି

ନଳିନୀ ନିକଟେ ଅଳି ଭଳି ଅଳି

କରୁଛି ଗୋକୁଳାନନ୍ଦ ମାନସ ।୨।

 

୧. ବାଲ୍ମୀକ ମୋହନା – ବାଲ୍ମୀକିଙ୍କଭଳି ଋଷିଙ୍କି ଯେ ମୋହିପାରେ,

୨. ନାଳିକ-ନଳି, ୩. ବାଳିଶ- ମୂର୍ଖ ।

 

ହଟିଯା ଶ୍ୟାମ

 

ହଟିଯା ଶ୍ୟାମ ନଲଗା ଧନ୍ଦା

ତୁଟିଲା ନାହିଁ ତୁମ୍ଭ ଘେନି କନ୍ଦା (ପଦ)

 

କୁଟିଳା କୁଟିଲା ଯେଉଁ ବାକ୍ୟବାଣ

ଜଟିଳା ଜଟିଲା ରଟିଲା ଖନ୍ଦା

ଗଉଡ଼ୁଣୀମାନେ ଘଉଡ଼ନ୍ତି ପାଶୁ

ଲାଗନ୍ତି ଯେପରି ପିମ୍ପୁଡ଼ି ଜନ୍ଦା ।୧।

 

ଲଟାବୁଲି ବୋଲି ହଟା କରୁଥାନ୍ତି

ଅପଟ ଘଟାଇ ତୁଟାଇ ଶ୍ରଦ୍ଧା

ପାଟକ କୁଳରେ ଅଟକ କରିବେ

କଣ୍ଟକ ହେଲାତ ବିଟଙ୍କମୂର୍ଦ୍ଧା।୨।

 

ଘଟ ଘେନି ଘାଟଗଲେ ବାଟଘାଟେ

ରଟନା କରନ୍ତି ମୋନା ମେ ନିନ୍ଦା

ଛଟପଟ ହେଉଅଛି ମୋର ପ୍ରାଣ

ନଟକୁଟ କିଆଁ ଲଗାଅ ସଦା ।୩।

 

ବଟପୁଟ ଶାୟୀ ପୀତ ପଟ ନଟ

ବରଜଟ ନାହିଁ ହେ ପାଟପିନ୍ଧା

ଗୋକୁଳାନନ୍ଦର ହର ଯମ ଦର

ଛନ୍ଦାପୟରକୁ କରିଛି ଫନ୍ଦା ।୪।

 

୧. ବିଟ-କପଟୀବ୍ୟକ୍ତି (ବିଶେଷତଃ ପ୍ରେମ ରାଜ୍ୟରେ),

୨. ମୂର୍ଦ୍ଧା –ସବୁଠାରୁ ଶ୍ରେଷ୍ଠ,

୩. ଜଟନାହିଁ- ଠକି ଦିଅନାହିଁ ।

 

ବସନ୍ତଋତୁରେ ନାୟକ ଅନୁଚିନ୍ତା

 

ମଧୁମୟ ଏ ମଧୁମାସରେ

ମଧୁପ କେଶୀ ନାହିଁ ପାଶରେ

ବନ୍ଧୁକୁ ରଖି ଏକା ବାସରେ

ସାଧିୁଛି ଦିନ ପରବାସରେ। (ଘୋଷା)

 

ବଧୁଲୀ ଅଧରା ବିନା ଦୋଷରେ

ବିନ୍ଧୁଛି କାମଶର ସରସରେ

ବନ୍ଧୁନାହିଁ ଜାଣ ବିଧୁଙ୍କ କିରଣ

ବାଧୁଛି ମୋତେ ଅତି ପ୍ରାସରେ ।୧।

 

ବିଧୁମୁଖୀ ଥିବ ମୋର ବାୟସରେ

ବିଧି କି ନ କଲା ଏ ବୟସରେ

ମଧୁର ବଚନ କରି କେ ରଚନ

ବୋଧୁଥିବ କେ ଉପଦେଶରେ ।୨।

 

ଭାବି ନିରତରେ ଦିନ ନ ସରେ

ଭାବି ନିରତ ଥିବ ବାସରେ

ଯାଇ ସାନ୍ନିଧ୍ୟ କରେ ରସନିଧିକି

ରସାଇବିକି ସତେ ରସରେ ।୩।

 

କୁନ୍ଦରଦନା ନଥିବ ହର୍ଷରେ

ଆଦର ନଥିବ ଆଦି ରସରେ

ଆଦରଶ ମୁଖୀ କ୍ଷୀଣ ହୋଇବଣି

ଦୀନ ଗୋକୁଳାନନ୍ଦ ଦୋଷରେ ।୪।

 

ନାୟିକା ମାନଭଂଜନ

 

ଆସ ଆସ ନରାଗ କୁନ୍ଦରଦନୀ

ଦେଖ ବସନ୍ତକାଳ ହେଲା ସଜନୀ। (ଘୋଷା)

 

ମତ୍ତଗଜ ଗାମିନୀ ତ ମୀନ ନୟନୀ

ବୃର୍ତ୍ତୁଳ ଉରଜା ସହି ପିକ ବଚନୀ

ନାହିଁ ନାହିଁ ନକର ଆରେ ଯୁବତୀବର

ତୋ ହୃଦେ ତୁ ବୁଚାର ଆସ ମୋର ପାଶର

ଭାଷି ଅମିୟ ଗିର ମୋ ଚିତ୍ତ ଶାନ୍ତକର

ସୁଦୟା କରି ଘେନ ଦୟିନୀ ।୧।

 

ବୟସ ଷୋଳ ସତର ଜାତି ପଦ୍ମିନୀ

ମୃଗରାଜ ମଧ୍ୟମା ଯେ ଘନ ଜଘନୀ

ପ୍ରଫୁଲ୍ଲ ଚନ୍ଦ୍ରାନନ ଦେଖିବାରୁ ମଦନ

ଦିନୁକରେ ଦହନ ପ୍ରାଣ ନେବ ବହନ

ତୁହିଁ ବିବେକ ଧନ ରଖ ମୋର ଜୀବନ

ନୋହିଲେ ଭାସିଗଲି ସଜନୀ ।୨।

 

ତୋତେ ଭରସା କରି ମୁଁ ଅଇଲି ଧାଇଁ

ନିରାଶ ନ କର ମୋତେରେ ପ୍ରିୟସହି

କରିଥିଲେ ମୁଁ ତୋର ଦୋଷ ମନେ ନ ଧର

କିଣାଜନ କିଙ୍କର କିମ୍ପା ଏଡ଼େ ନିଷ୍ଠୁର

ଆଉ ନ ମାନେ ମନ କେ ଥିବ କେତେଦିନ

ଭାବେ ମୁଁ ତୋତେ ଦିବା ରଜନୀ ।୩।

 

ଯେତେରୂପେ ତୋ ଛାମୁରେ କହିଲି ପୁଣି

ପାଷାଣ ହେଲେ ବି ହୋଇଯାଆନ୍ତା ପାଣି

ହେଲେ ଦେବତା ବର ଦିଅନ୍ତାଣି ନିକର

ଟାଣି ହୃଦୟ ତୋର ଜାଣିଲିଣି ଏଥର

ଗୋକୁଳାନନ୍ଦ ଗିର ଯୁବାବୟସ ତୋର

ସହି ନ ହୁଏ ଚମ୍ପା ବରନୀ ।୪।

 

ବସନ୍ତକାଳ ବର୍ଣ୍ଣନା

(ଅନୁପ୍ରାସ ‘ବ’)

 

ବରଜନେ ବୁଝ ଏ ଭାବ ହେ ବହିର୍ଭାବ

ବରଜନ ହୋଇ ଦୁଃଖ ଆନନ୍ଦ ହେବ ଉଦ୍ଭବ।(ଘୋଷା)

 

ବସନ୍ତଋତୁ ନରେଶ

ବସୁମତୀରେ ପ୍ରବେଶ

ବସୁମତେ ପ୍ରାପତ ଗରିବ

ବସୁମତୀରେ ସ୍ଥାବର ଜଙ୍ଗମ ସର୍ବ

ବଶବର୍ତ୍ତୀ ହୋଇ କଲେ ଯେ ଯାହା ସଂଭବ ଯବ ।୧।

 

 

ବକୁଳ ଯୂଥିକା ଜାତୀ,

ବଞ୍ଜୁଳ ଚମ୍ପା ସେବତୀ

ବନ୍ଧୁକର ସୁମନ ବିଭବ

ବସନ କି ଯୋଗାଇଲେ କରି ଗୌରବ

ବଲ୍ଲରୀ ଗୁଳ୍ମଲତାଦି କଲେ ବିବିଧ ସଂଭବ ।୨।

 

 

ବନପ୍ରିୟ ଋତୁଚୂତ,

ଡାଳରେ କାହାଳୀବତ

ଆତପତ୍ର ଟେକିଲେ ରାଜୀବ

ବଳିପ୍ରାୟେକ ହଳଦୀ ବସନ୍ତ ରବ

ବହିଲା ଖର୍ଜୂର ବୃକ୍ଷ ଚାମର ତେଜି ବିଳମ୍ବ ।୩।

 

 

ବର୍ତ୍ମସେ ଅମରଙ୍କର

ଚନ୍ଦ୍ରତାପ ସେ ବିଚାର

ବହୁଋକ୍ଷ ମାଣିକ୍ୟ ସଂଭବ

ବିଧିଦିନେ ରାତିରେ କୁମୁଦ ବାନ୍ଧବ

ବର୍ଦ୍ଧନ କଲେ ଆଲଟ ସୁଷମା ଦେଖି ଅଭାବ ।୪।

 

 

ବନ୍ଧୁକ ପରି ସୁନାରୀ,

ମୃଗ ବିରହିଣୀ ନାରୀ

ପୁରୁଷେ ବି ଲୋ ମୋ କଲାଧବ

ବହନେ ପଟ୍ଟ ପାଇଲା କେତକୀ ଯବ

ବତାଇ ଭାଙ୍ଗି ଭୃଙ୍ଗର ଦେଲା ପରା ପରାଭବ ।୫।

 

 

ବିହରି ବଂଶବିଟପୀ

ବଡ଼ଦୋଷି ନୃପେଟପି

ବଚନାତୀତ ଦଣ୍ଡ ପ୍ରାଭବ

ବିନତି ସଙ୍ଗେ ଯେ ରାଣୀ ଜାଣ ସାଧବ

ବଦତି ଗୋକୁଳାନନ୍ଦ ଏଗୀତ ଅନୁପ୍ରାସ ‘ବ’ ।୬।

 

ଉଠ ପ୍ରିୟ ସହିରେ

 

ଉଠ ପ୍ରିୟ ସହିରେ,

ମଠ ନକର ଆଉ

ଓଠ ହାତଧରି ପାଠ ମୁଁ କହୁଛି

ଅଥୟ କଲାଣି ମଦନ ଦାଉ। ( ଘୋଷା)

 

 

ଆଠଚାରିଗୁଣଲକ୍ଷଣା,

ଶ୍ରେଷ୍ଠକଣ୍ଠି କଣ୍ଠ ଭୂଷଣା

କାଠପରି ହୋଇ ବିନତି କରୁଛି

ଚୋଠାପରି କିମ୍ପା ପ୍ରକୃତି ବହୁ ।୧।

 

 

କୋଠଜନ ମୋତେ ଭାବନା,

ଶଠକଥା ମନେ ଗୁଣନା

ଜଠର ଜଳୁଛି ତୋଠାରେ କହୁଛି

ହଠଯୋଗ ମାର୍ଗ ସାଧନା ଥାଉ।୨।

 

 

ହେଠମୁଖେ କରେ ଅରଠି,

ଗଠନ ତୋ ନାହିଁ କେଉଁଠି

କଠୋର ନ ହୋଇ ପଇଠ ପକାଇ

କାମ ତାଲିକାରେ ରଖ ତୋ ଭାଉ।୩।

 

 

କମଠଉ ରଜାରେ ଆସ,

କାମଠକ ପୀଡ଼ାକୁ ନାଶ

ଠଅଗୋଠ ଗୋଠ ଶଠରେ ଯୋଡ଼ୁଛି

ଗୋକୁଳାନନ୍ଦକୁ କଷଣ ଦେଉ ।୪।

 

୧. ଆଠଚାରିଗୁଣ

୨ ( ନାରୀମାନଙ୍କର ବତିଶଟି ଲକ୍ଷଣ ପ୍ରସିଦ୍ଧ), ବିଦଗ୍ଧ ଚିନ୍ତାମଣିରେ ଶ୍ରୀମତୀ ରାଧାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ କବି ଅଭିମନ୍ୟୁ ସାମନ୍ତସିଂହାର କହିଛନ୍ତି ‘ବତିଶ ଲକ୍ଷଣା ଗୁଣ ନିପୁଣା ।’ ହେଠମୁଖ – ହୀନମୁଖ (ଛୋଟ ମୁହଁରେ କହିବା) ।

 

ଧନ ମନରୁ ନ କରିବୁ ଅନ୍ତର

 

ଧନ ମନରୁ ନ କରିବୁ ଅନ୍ତର

ତରଳାକ୍ଷି ଘେନ ମିନତି ମୋହର

ହର ଚରଣଧ୍ୟାୟି ପାଇଥିଲିରେ ସହୀ

ସହି ପାରିଲି ନାହିଁ ମୋଠାରେ କୋପବହି

ବହିବ ଦେହ କେହୁ ନିକର ।୧।

 

କର କର ଧନୀ ମୋ ଗଳାର ହାର

ହାରମଣି କେମନ୍ତେ ପାଇବି ଖବର

ବରବରନା ତୋତେ ଛାଡ଼ିଯିବି କେମନ୍ତେ

ମତେତ ଭଲକରି କହ ହଁ ନାହିଁ ସତେ

ସତେ ମୁଁ ନାରୀ ତୋର ଇତର ।୨।

 

ତରତର ହୋଉଅଛି ଯିବି ଏଥର

ଥରକ ଯାଉଛି ଆଉ ନୁହଁ ଅସ୍ଥିର

ସ୍ଥିରକରି ତୁ ଅନା ଅନା କରେ ନବୀନା

ବିନାୟକ ଜନନୀ ପଦେ କରେ ଭାବନା

ବନାଗ୍ନି ପୋଡ଼ୁଅଛି ମୋ ଉର।୩।

 

ଉରଜ ଶୋଭିନୀ ଶୁଣି କଲା ସ୍ଵୀକାର

କାମରସେ ମାତି ତୁମେ ନ ଆସ ପୁର

ପୁର ରସବଲ୍ଲଭୀ ଲଭିଲେ ପ୍ରିୟାଭାବ

ଭାବ ଭାବନା ଚିତ୍ତେ ସୁଦୟା କର

କରଣ ଗୋକୁଳାନନ୍ଦ ଗିର।୪।

 

୧. ଉର – ବକ୍ଷ,

୨. ପୁରରସବଲ୍ଲଭୀ – ଗୃହିଣୀ।

ପ୍ରତିଧାଡ଼ିର ଶେଷ ଦୁଇ ଅକ୍ଷର ପରବର୍ତ୍ତୀ ଧାଡ଼ିର ପ୍ରଥମରେ ରହିଛି।

 

ପୁରୁଷର ଅନୁଚିନ୍ତା

 

ମାନ ମାନସୁ ଧନ କର ଅନ୍ତର

ତରଳାକ୍ଷି ବିନତି ଘେନ କାନ୍ତର

ତରବାରି କାମ କରୁଛି ପ୍ରହାର

ହାର କର ବେନି ବାହୁହୃଦେ ମୋହର

ହରଷେ ଅନାଥରେ ସଖୀରେ ।୧।

 

କ୍ଷୀର ମଧୁର ସାଇତିଛୁ ପାଶର

ସରେ ତୋ ଜୀବ ଧବ ବିପରୀତରେ

ତରକେ ମୁଁ କନ୍ଦର୍ପ ବାଣ ଘାତରେ

ତରଫ ନ କରି ତ ବିଚାର କର

କର କର ଦନି ଧରେ କରା ।୨।

 

କର କରୁଣା ସହିଷ୍ଣୁ ଭାବ ବହି

ବହିଗଲା ପାଣି ପାଣି ଧରେ ସହି

ସହି ବଞ୍ଚାଅ ତୁହି ଥରେ ମାତର

ତରକି ରଖନା ଚିତ୍ତେ ରାମାବର

ବରଜନା ପଡ଼େ ସନ୍ନିଧରେ ।୩।

 

ଧୀର ଗିର ପ୍ରତି ନୟନ ପ୍ରକାଶ

କାଶ ହାସିନି ସୁନ୍ଦର ଅଟେକର

କରମ କାମ ଅଟେ ସଦା ମୋହର

ହର ମୋ ଦୁଃଖ ପାଶୁ ଦୂର ନ କର

କରଣ ଗୋକୁଳର ବିଚାର ।୪।

 

ନବରସତରଙ୍ଗ

 

ସର୍ବଗୁଣରେ ପଣ୍ଡିତା ଲୋ ହେମଲତା

ସତ୍ତ୍ଵ, ରଜ, ତମ ତିନିଗୁଣରେ ପୂଜିତା।(ଘୋଷା)

 

 

ସ୍ଵାର୍ଥ ପରମାର୍ଥରେ,

ପୂର୍ଣ୍ଣସକଳ ଗୁଣରେ

ନବରସ ଜାଣୁରେ ବନିତା

ନୃତ୍ୟରଙ୍ଗ ରାଗ ବହି ସଂଗୀତ ଗୀତା

ଛନ୍ଦ ପ୍ରବନ୍ଧକୁ କଣ୍ଠେ କରିଛୁ ତୁହି ସାଧିତା ।୧।

 

 

ଯନ୍ତ୍ର ମନ୍ତ୍ର ତନ୍ତ୍ର ଶାସ୍ତ୍ର

ମୋହିବା ଗାରେଡ଼ି ସୂତ୍ର

ଆମର କୁମର ସର୍ବଶ୍ରୋତା

ନରରାଣ ନନ୍ଦିନୀ ତୁ ପୁରାଣେ ଜିତା

ନାଗାନ୍ତ ଯୋଗାନ୍ତ ସିଦ୍ଧବେଦାନ୍ତ ହୁଏ କ୍ଷମତା ।୨।

 

 

କାନ୍ତି ସୁକାନ୍ତି ଦୀପିକା

ଆବର ଅନ୍ତର୍ଲିପିକା

ଚଉଷଠି ଗ୍ରନ୍ଥରେ ତୁ ଥୋଇଥା

ରତିଶାସ୍ତ୍ରେ ମାତିଥାଉ ସୁରସ ଲତା

ସାଧୁସିଦ୍ଧ-ସାଧକ ଅଷ୍ଟମାଳୀ ସୂତ୍ରେ ପଟୁତା ।୩।

 

 

ଦୁଇ ସହସ୍ର ତିନିଶ

ଷାଠିଏ ଶାସ୍ତ୍ରରେ ଶେଷ

କବି ଭାବି କରିଛି ପୂର୍ଣ୍ଣତା

ଦିନକେ ସରିବ ନାହିଁ ସାଧୁ ଭାଷିତା

ଗୋକୁଳାନନ୍ଦ ଭାବନା କେବେ ନୁହଇ ଅନ୍ୟଥା ।୪।

 

ରସରାଜ

 

ସନ୍ତୋଷ ହେଲାକି ମାନସ ଗୋ ସଖୀଭାଷ

ଶର୍ବରୀ ରେ ଲଭି ଆଜି ଧନ ନବ ସହବାସ । (ଘୋଷ)

 

 

ଶଶଧର ଅର୍ଦ୍ଧଚିହ୍ନ

ଉରରେ ବିଦ୍ୟମାନ

କରଜେ ପ୍ରାପ୍ତ ଦରଜ କ୍ଳେଶ

ଶମ୍ଭୁପାଣି ଲାଗି ହୋଇଥିବା ପ୍ରକାଶ

ସମର୍ପିଲାବେଳେ କରଚିତ୍ତ ହେଲା କି ଉଲ୍ଲାସ ।୧।

 

 

ସଯତନେ ଥିଲି କରି

ଗଣ୍ଡଦେଶରେ ମକରୀ

ସନ୍ଦେହ ହେଉଛି ନାହିଁ ଲେଶ

ଶ୍ରମଜଳେ ହୋଇଅଛି ନିଶ୍ଚେ ବିନାଶ

ସରୁ ଚୁମ୍ବନେ ସଂକେତ ଗାଲରେ ହୋଇଛି ଦୃଶ୍ୟ ।୨।

 

 

ସଜାଡ଼ି ଥିଲି ମୁଁବେଣୀ

ସର୍ପ ଆକୃତିକୁ ଜିଣି

କଙ୍କତିକାରେ ଶ୍ୟାମଳୀ କେଶ

ସତ କହ ମିତ ଦିଶୁନାହିଁ ସରସ

ଶମ୍ବର ଶତ୍ରୁ ସମରେ ସମୂଳେ ହୋଇଛି ଧ୍ଵଂସ ।୩।

 

 

ଶରୀର ଦିଶେ ବେଢଙ୍ଗ

ସରୋଜ ନୟନ ରଙ୍ଗ

ହରିଦ୍ରାର ଲକ୍ଷଣ ପ୍ରକାଶ

ସମ୍ପୂର୍ଣ୍ଣ ହେଲାକି ଯୋଷିତା ଅଭିଳାଷ

ସ’ ଅନୁପ୍ରାସେ ଗୋକୁଳାନନ୍ଦ କହଇ ଏ ରସ ।୪।

 

୧. ଶର୍ବରୀ – ରାତ୍ରି,ନାରୀ,

୨. କଙ୍କତିକା – ପାନିଆ,

୩.ଯୋଷିତା –ରମଣୀ ।

 

ଖଞ୍ଜନ ନେତ୍ରୀ

ଖଞ୍ଜନ ନେତ୍ରୀ ବହେ ଶୋଭା ଅଲେଖ

ଖରଚ ଯେତିକି କର ପରଖ

ଖମଣି ପ୍ରିୟା ଜଳ ତୁଳ ଉଦର

ତ୍ରିବଳୀ ତହିଁକି କାମ ବିଶିଖ ।୧।

ଖଟର ଘଟଣା ନୁହଁଇତ ଊଣା

ଅଭିସାର ବେଳେ କାନ୍ତର ସୁଖ

ଖଟିଛି କଟିକି ନଅଣ୍ଟିଲା ବୋଲି

କଣ୍ଠୀର ବଧୂର୍ଜଟୀ ବାମପାଖ ।୨।

ଖର୍ବତନୁ ତାତ ଆଶ୍ରିତ ଡମ୍ବରୁ

ବିସର୍ଗ ସହଜେ ଲଭିଛି ଦୁଃଖ

ଖଞ୍ଜାଇବାକି ବାସ୍ଫୀଚକୁ କଚ୍ଛପ

ତୁଚ୍ଛହେତୁ ପ୍ରଛନ୍ନେ ରଖେ ମୁଖ ।୩।

ଖଚ ବଚ ନୁହେଁ ହାତୀ ଗତି ପ୍ରତି

ନିହାତି ହାତୀ ବହେ ଚର୍ତୁମୁଖ

ଖଗପତି ଦାନ ଚିନ୍ତଇ ଗୋକୁଳ

ପଦ୍ୟ ଆଦ୍ୟପ୍ରାନ୍ତେ ଅନୁପ୍ରାସ ‘ଖ’ ।୪।

 

ଚକ୍ରବନ୍ଧ

 

ରସ ଏ ଚକ୍ର ବନ୍ଧର ରସିକ ସୁଜ୍ଞାନୀ ନର

ରବିଜାତଟେ ରାଧାଙ୍କ ପାଶେ ଭାଷନ୍ତି ଶ୍ରୀଧର । (ଘୋଷା)

 

ରଦ ଦୁଃଖେ ମୋହର ରହ ମୋହର ପାଶର

ରସ ପାନଖିଆ ଖର ରଖ ଆଶା ତୋ ଦଶର ।୧।

 

ରଚଗୋବାରେ ଶୃଙ୍ଗାର ରଖି ସୁତନୁ ନ ମାର

ରମାନ ଖଞ୍ଜାଅ ତାର ରଣ ଅଇଲି ଗୋଚର ।୨।

 

ରହ ସଖୀ ସରତୀର ରସେ ରସରେ ବିହର

ରହ କିହେ ଟେକି ଶିର ରସିକ ମାନ ସହର ।୩।

 

ରଣ ରଣ ମାରେ ଶର ରସରେତ ନଗଦର

ରଜନୀରେ ଶୁଣେବର ‘ର’ ବର୍ଣ୍ଣେ ଗୋକୁଳାନନ୍ଦର ।୪।

 

୧.ରବିଜା-ଯମୁନା

 

ଭୂମିକମ୍ପ ଦୁର୍ଦ୍ଦଶା

 

ଆସ ଭାଇମାନେ ରାସଦିଶରେ ଏ ଦେଶ ଦଶାକୁ ଶୁଣିବ ହେ

ଯେତେକ ମନୁଷ୍ୟ ପାଉଛନ୍ତି କ୍ଳେଶସବୁ ଏଥିରୁ ଜାଣିବ ହେ,

ଭୂମିକମ୍ପ ସମାଚାର; କରୁଅଛି ଏ ଗୀତେ ପ୍ରଚାର ହେ।୧।

 

ସନ ତେରଶ ଏକାଚାଳିଶ ସାଲ ମକର ତିନି ଦିନରେ ହେ,

ମାଘ ଆମାବାସ୍ୟା ଦିନ ସମାବେଶ ପଞ୍ଚଗ୍ରହ ମକରରେ ହେ,

ଉଣିଶଶ ଚଉତ୍ରିଶ, ମସିହା ଯେ ଜାନୁୟାରୀ ମାସ ହେ ।୨।

 

ପନ୍ଦର ତାରିଖ ଚନ୍ଦ୍ରଙ୍କ ବାସରେ ହେଲା ଏ ହୁନ୍ଦର କଥା ହେ

ସୁନ୍ଦର ନଗର ଯେତେ ଧ୍ଵସ୍ତ ହେଲା ହୃଦରେ ଲାଗଇ ବ୍ୟଥା ହେ

ଅନୁଭବୀ ଯେ ମନୁଷ୍ୟ, ମନୁଁ ନ ଯିବ କେବେ ସେ ପ୍ରାସ ହେ ।୩।

 

ଜାହ୍ନବୀ ମଧ୍ୟରୁ ମଧ୍ୟାହ୍ନ ସମୟେ ପ୍ରଥମରେ ହେଲା ଜାତ ହେ

ଗଙ୍ଗାନଦୀ ଗର୍ଭେ ବାଲିକୁଦ ହେଲା ପାଣି ପୁଣି ଇତସ୍ତତ ହେ

ସ୍ଥଳ ଗଣ୍ଡ ଗଣ୍ଡସ୍ଥଳ; କୂଳ ଉଛୁଳି ମାଡ଼ିଲା ଜଳ ହେ ।୪।

 

ଆଶୁ ବସୁନ୍ଧରା ଥର ଥର ହେଲା, “ବାସୁକି ଢାଳିଲା କର” ହେ

ଭୂ-ଗର୍ଭସ୍ଥ ଧାତୁ ତରଳିବା ହେତୁ ହୁଏ ସିନା ଏ ପ୍ରକାରହେ

ପୂର୍ବ ଆଧୁନିକ ମତ, ଦ୍ଵିତୀୟ ପ୍ରମାଣ ଅଟେ ସତ ହେ ।୫।

 

କୂଅ ପୋଖରୀରୁ ଚମ୍ପା ବାଣ ପରି ବାହାରିଲା ବାଲିମାଟି ହେ

କାହିଁ ହେଲା ଖାଲ କାହିଁ ହେଲା ଢିପ କେଉଁସ୍ଥାନ ଗଲା ଫାଟି ହେ

କେହି ଆଗ କେହି ପଛ, ଉପୁଡ଼ିଲା ବଡ଼ ବଡ଼ ଗଛ ହେ ।୬।

 

ଦେଖୁ ଦେଖୁ ଆଖୁ କିଆରି ଗୁଡ଼ିକ ପଡ଼ି ବୁଡ଼ି ହେଲା ନଷ୍ଟ ହେ

ବହୁଳ ହୋଇବ ସେ ବିଷୟମାନ ଲେଖୁ ଲେଖୁ ଏଥି ସ୍ପଷ୍ଟ ହେ

ଧାନ୍ୟ ଭିନ୍ନ ଅନ୍ୟଶସ୍ୟ, ବନ୍ୟା ଭୂମି ହେଲା ନାଶ ହେ ।୭।

 

ଗବାଦି ପଶୁଙ୍କ ଶବ ଦିନ ମିଳେ ମହିଷା ମହୀ ଖାଇଲା ହେ

ଅକଳିତ ଛେଳି ମେଣ୍ଢା ବଳିଖାଇ ତେବେ ସନ୍ତୋଷ ନୋହିଲା ହେ

ଯେତେ ପଶୁଥିଲେ ବଞ୍ଚି, ତାଙ୍କୁ କିଏ ସେ ରଖିବ ସଞ୍ଚି ହେ ।୮।

 

୧. ଉଣିଶଶ – ୧୯୦୦,

୨.ଚଉତ୍ରିଶ-୩୪,

୩. ଢାଳଲାକର- କଡ଼ ଲେଉଟାଇଲା।

 

ବିକଟ ମୂରତି ଧରିଣ ପ୍ରକୃତି ଦେବୀ ଯୁଟିଗଲେ ଆସି ହେ

କ୍ଷଣକ ମଧ୍ୟରେ ସଙ୍କଟ ପଡ଼ିଲା ତଟ ନିକଟରେ ବେଶୀ ହେ

ସେହି ଶକ୍ତି କରି ଗତି ; ବହୁତ ସହର କଲା କ୍ଷତି ହେ ।୯।

 

ମୁଜାଫରପୁର ବଜାର ଭାଜିଲା ହଜାର ବଜାର ଲୋକ ହେ

ଶମନରାଜକୁ ବିଜାର କଲେ ସେ ଦେଖିବା ପାଇଁ ପାତକ ହେ

ସଜା ପାଇବା କେତେକ, ହଜାଇଲେ ଧନ ଜନ ତକ ।୧୦।

 

ଜଜ କିଲଟର ନିଜ ପ୍ରାଣଘେନି ଯେଝା ଖଞ୍ଜେ ଗଲେ ଖସି ହେ

ନିଜ ବାସରାଜ କଚେରୀ ସହିତେ ଭୂମିରେ ଯାଇଛି ପଶି ହେ

ପଡ଼ି ଉଠି ଲୋକଗଣେ; ରଡ଼ିଛାଡ଼ି ପଳାଇଲେ କେଣେ ହେ ।୧୧।

 

ଦରଭଙ୍ଗା ଜିଲା ଘର ଭଙ୍ଗା କଥା ବୁଝାଇ କହିବି କେତେ ହେ

ଦରଭଙ୍ଗା ହୋଇ ଗୋଟିଏ ତ ନାହିଁ ଭୁତଳଶାୟି ସମସ୍ତେ ହେ

କୋଠାମାନ ଗଲାଭାଜି, ଠୋଠା ମରିଗଲେ ଲୋକ ରାଜି ହେ ।୧୨।

 

ବେଦରକାରୀ ହୋଇଛି ଏକବାରେ ସାତଟା ସର୍କାରୀ ଘର ହେ

ନାନାବିଧ କାରଖାନା ଚୂନା ହେଲା ବୋଲି ମିଳୁଛି ଖବର ହେ

ଦୁଇ ହଜାର ମନଷ୍ୟ, ଭୂଇଁକମ୍ପ ଯୋଗେ ହେଲେ ନାଶ ହେ ।୧୩।

 

ପୁଷ କୃଷି ଗୃହ ଭୁ ସୁଭାସ ହୋଇ ଭୂମିରେ ପଡ଼ିଛି ଶୋଇହେ

ଇମ୍ପିରିୟାଲ ବ୍ୟାଙ୍କ କମ୍ପିକମ୍ପି କରି ପଡ଼ିଗଲା ଧୂଳି ହୋଇ ହେ

ଭାଗଲପୁରର ଦଶା, ନାହିଁ ଲୋକଙ୍କ ନିମନ୍ତେ ବସା ହେ ।୧୪।

 

ମୁଙ୍ଗେର ନଗର ସମଗ୍ର ଯାଇଛି ବଖୁରିଏ ନାହିଁ ଗୃହ ହେ

ପାଟନା ଘଟନା ରଟନା କଲେ ମୋ ହୃଦରୁ ଉଠୁଛି କୋହ ହେ

ଗଣ୍ଡକୀର ରେଳସେତୁ, ଦଣ୍ଡକହେ ଗଲା ଏହି ହେତୁ ହେ ।୧୫।

 

ପାଟନାରେ ଥିଲା ଏକ ସିଗାରେଟ କାରଖାନା ଚଉତାଲା ହେ

କାମ କରୁଥିଲେ ପାଞ୍ଚଶତ ଲୋକ ଚାକର ବାବୁ ଅମଲା ହେ

କେହି ନ ପାଇଲେକ୍ଷମା;ଯମାଳୟେ ହେଲେ ଯାଇଁ ଜମା ହେ ।୧୬।

 

ଯାଇଥିବ ଯେଉଁ ଭାଇ ମାମଲାରେ ଚାହିଁଥିବ ହାଇକୋଟ ହେ

ଖାଇଅଛି ତାକୁ ନଇବଢ଼ି ପାଣି ଯେପରି ଜଳରେ ବୋଟ ହେ।

ମିଳୁନାହିଁ ତାର ପତା, ଟେକିଥିଲା ଯେ ସୌନ୍ଦର୍ଯ୍ୟ ଛତା ହେ ।୧୭।

 

ଚିନି ଆମଦାନି ହେଉଥିଲା ଯେଉଁ ଚିନି କାରଖାନା ଘରୁ ହେ

ତାକଧିନିଧିନିନାଟକରିସେହୁଶେଷରେହୋଇଛିମରୁହେ

ଆଉ ଯେତେ କାର୍ଯ୍ୟାଳୟ, ଭୂମିକମ୍ପରେ ସର୍ବବିଲୟ ହେ ।୧୮।

 

ଛାପରା ବିଷୟ ପଢ଼ିଲେ କହିବ ଛୋପରା ହେଇଛି ଏହି ହେ

ସେପରା ସହର ଏପରି ହେବାକୁ ଜାଣିଥିଲା ଅବା କେହି ହେ

ତିନିଶତ ଲୋକ ମଲେ, କେ’ ନିସତ ହୋଇ ପଳାଇଲେ ହେ ।୧୯।

 

ନେପାଳ ନୃପାଳ ଫାଟିଲା ମଲେ ତାଙ୍କ ଜେମାମଣି ହେ

ଅଟ୍ଟାଳି ଜଗତୀ ଲଭିଲା ଯେ ଗତି କେ ତାହା ପାରିବ ଗଣି ହେ

ପୂର୍ବପଟ ସର୍ବନାଶ, ଅଛି ପଶ୍ଚିମରୁ ବହୁଅଂଶ ହେ ।୨୦।

 

ଆଲାମଗଞ୍ଜକୁ ଯାଇଥିବା ରେଳ-ପଥ ଯାଇଅଛି ଭାଗିହେ

ମଟର ବାଟର ଦୁର୍ଗତି ଘଟିଛି ଏକା ଭୂମିକମ୍ପ ଲାଗି ହେ

ଗିରିଗଞ୍ଜ ଶିରୀହତ ହୋଇଛନ୍ତି କେତେ ଯେ ଆହତ ହେ ।୨୧।

 

ସ୍ମୃତିସ୍ତମ୍ଭ, ଘଣ୍ଟାସ୍ତମ୍ଭ, ଧରାରାଜ, ପାନ୍ଥଶାଳା ଧର୍ମଶାଳା ହେ

ପଶୁପତିନାଥ ମନ୍ଦିର ବ୍ୟତୀତ ସବୁ ଭୂ-କମ୍ପରେ ଗଲା ହେ

ଦାର୍ଜ୍ଜଲିଙ୍କ ଏହି ଗତି, ଲଭି କଦର୍ଯ୍ୟ ହେଉଛି ଅତି ହେ ।୨୨।

 

ମୋତିହାରି ପୂର୍ବ ଜ୍ୟୋତିହାରି ଅଛି ବିବାକ ହୋଇଛି ଧ୍ଵଂସ ହେ

ମୁଜଫରାପୁର, ମଧୁବନ ଆଉ ତ୍ରିହୁ ତରୁନାହିଁ ଲେଶ ହେ

ଏସ୍ଥାନରୁ କେତେ ଲୋକ, ହେଲେ ପଥିକ ଯମ-ନଜି କହେ ।୨୩।

 

ବେଟିଆ ଜିଲାର ଛୋଟିଆ ନୁହଇ କୋଟିଏ ଟଙ୍କାର ଧନ ହେ

ମାଟି ଫାଟିବାରୁ ଭିତରେ ପଶିଲା ଶୁଣିଯା ହେଉଛି ମନ ହେ

ଦ୍ଵିଲକ୍ଷ ଏକର ଜମି, ଅକର୍ମଣ୍ୟ ହେଲା ଜଳଜମି ହେ ।୨୪।

 

ପହିଲା ତାରିଖ ପର୍ଯ୍ୟନ୍ତ ରହିଲା ଭୂମିକମ୍ପ କିଛିକିଛି ହେ

ବିହାର ପ୍ରଦେଶେ ବିହାର କରି ସେ ବହୁତ କ୍ଷତି କରିଛି ଯେ

ଧନଜନ ପୂର୍ଣ୍ଣସ୍ଥାନ,ଚୂର୍ଣ୍ଣ କରିଦେଲେ ଭଗବାନ ହେ ।୨୫।

 

ବଡ଼ ବଡ଼ ସ୍ଥାନମାନ ଲେଖିଗଲି ଆନଜାଗା ଅଛି କେତେ ହେ

ଛୋଟ ଜାଗାକୁ କେ ମୋଟରେ ଆଣୁଛି ଖବର ମିଳୁଛି ଯେତେ ହେ

ଓଡ଼ିଶାରୁ ବଡ଼ଦେଶ; ଓଳିକରେ ହୋଇଅଛି ଶେଷ ହେ ।୨୬।

 

ନଜିକ – ପାଖ

 

ଯେଉଁସ୍ଥାନ କଥା କହିଗଲି ଭାଇ ଇନ୍ଦ୍ର ଭବନକି ସେହି ହେ

ଚନ୍ଦ୍ରସୂର୍ଯ୍ୟ ତାଙ୍କୁ ଦେଖୁତ ନଥିଲେ କେତେ ସୁଖେ ଥିଲେ ରହି ହେ

କରୁଥିଲେ କେତେ ଭୋଗ, ତାଙ୍କୁ ଥିଲା ପୁଣି ଏହି ଯୋଗ ହେ ।୨୭।

 

ହାକିମ ଅମଲା ଓକିଲ ବାରିଷ୍ଟର ଥିଲେ ଯେତେକ ବେପାରୀ ହେ

ଯେତେ ଜମିଦାର କରିଥିଲେ ଘର କରିବ କେ ତା ସୁମାରୀ ହେ

ସମସ୍ତଙ୍କୁ ଏକାଦଶା, ରହିବାକୁ ମିଳୁନାହିଁ ବସା ହେ ।୨୮।

 

ମରିଗଲେ ଯେହୁ ତରିଗଲେ ସେହୁ ପାରି ହେଲେ ଭବସିନ୍ଧୁ ହେ

ବଞ୍ଚିଛନ୍ତି ଯେଉଁମାନେ ତାଙ୍କ ଦିନ ନ ସରୁଛି କାନ୍ଦୁକାନ୍ଦୁ ହେ

ମହାକଷ୍ଟେଛନ୍ତି ରହି, ତାଙ୍କ ଦୁଃଖ କଥା ନୁହେଁ କହି ହେ ।୨୯।

 

ଭାଜିଛି କା ଦାନ୍ତ, ଚଳିନାହିଁ ହାତ କେଅବା ହୋଇଛି ଛୋଟା ହେ

ଫାଟିଛି କା ମୁଣ୍ଡ ଫିଟୁନାହିଁ ତୁଣ୍ଡ ଭାଙ୍ଗି ଯାଇଛି କା ଅଣ୍ଟା ହେ

କଲବଲ ହେଇଛନ୍ତି, ବଲବଲ କରି ଚାହୁଁଛନ୍ତି ହେ ।୩୦।

 

ଶକତ ସଜା ପାଇଛନ୍ତି ଲୋକତ ରକତ ସ୍ନାହାନ ଦେହ ହେ

ମୁକ୍ତିଲଭି କେହି ବ୍ୟକ୍ତି ତ ନାହାନ୍ତି କରିବାକୁ ତାଙ୍କୁ ସ୍ନେହ ହେ

ଚାରିଆଡ଼େ ଶବକୁଢ଼, ଯେଝା କଥା ଯାକୁ ଯୁଗ ବୁଡ଼ ହେ ।୩୧।

 

କରୁଣ କାହାଣୀ ଶୁଣିଲାବେଳକୁ ହୃଦହାଣି ହୁଏ ଏଣେହେ

ପାଣିଟିକିଏ କେ ଆଣି ଦେବାପାଇଁ ପାଖରେ ନାହାନ୍ତି ଜଣେ ହେ

ଦାନାକନା ବିନା ନାନାକଷ୍ଟ ଭୋଗ କରୁଛନ୍ତି ପଡ଼ି ହେ ।୩୨।

 

ଧନ ଦାରା ସୁତ ହରାଇ ସମସ୍ତ ପଡ଼ିଆରେ ଛନ୍ତି ପଡ଼ି ହେ

ହାଡ଼ଗୋଡ଼ ଭଙ୍ଗା ରୋଗକୁ ତ ଘୋର ଜାଡ଼ ଯାଇଅଛି ଜଡ଼ି ହେ

ମୂର୍ଚ୍ଛାଯାଇ ଘଡ଼ି ଘଡ଼ି, ଚେତା ପାଇ ଛାଡ଼ୁଛନ୍ତି ରଡ଼ି ହେ ।୩୩।

 

ବ୍ୟଥାପରେ ବ୍ୟଥା ହେଲେ ଯଥା ଅନ୍ନ ଛାତିକି ଗୋଇଠା ମାଡ଼ ହେ

ତଥା ଏ ବିପତ୍ତି ପରେ ଛଅସାତଦିନ ହୋଇଗଲା ଝଡ଼, ହେ

ପିଆ ପାଣି କାଳହେଲା, ବାଆପାଣି କେତେ ନାଶକଲା ହେ ।୩୪।

 

ଖଟପଲଙ୍କରେ ଯେହୁ ଲୋଟୁଥିଲା ଲଟପଟ ସେହୁ ଧୂଳି ହେ

ତାଙ୍କ ଭାଲପଟେ ଏହା ଲେଖାଥିଲା ଛଟପଟ ହେବେ ବୋଲି ହେ

ପୀତପଟ ଏ ସଂକଟ, ଘଟାଇଲେକି ଦେଖି କପଟ ହେ ।୩୫।

 

ଡକା ପକାନ୍ତି କେ କକାବୋପା କାଳୁ ଏହାଙ୍କ ନଥିଲା ଦେଖା ହେ

ଏକାଳରେ ଏହା ଭୋଗ କରିବାକୁ ଏ କପାଳେ ଥିଲା ଲେଖା ହେ

ପକାଘରେ ଥିଲୁ ବସି, ପଙ୍କ କାଦୁଅ ଘରେ ନ ପଶି ହେ ।୩୬।

 

ଧୋକାତ ନଥିଲା ଟୋକାଟି ଦିନରୁ କେଡ଼େ ସୁଖେ ଥିଲୁ ରହି ହେ

ଲଙ୍କା ପରି ପରେ ବାସ କରିଥିଲୁ ଟଙ୍କାଟାକୁ ଟେକା କହି ହେ

ଚକାଡୋଳା ହେଲେ ବାମ, ଅକାରଣେ ନେବ ଏବେ ଯମ ହେ ।୩୭।

 

ସାର ସାର ନରେ ଛାରଖାର ହେଲେ ନାରଖାର ହେଲା ରାଜ୍ୟ ହେ

ପ୍ରକୃତି ଦେବୀଙ୍କ ବିକୃତି କରିଛି ସିନା ଏ କାର୍ଯ୍ୟ ହେ

ଭଗବାନଙ୍କର ଲୀଳା, ସେତ ତୂଳାକୁ କରନ୍ତି ଶିଳା ହେ ।୩୮।

 

ସୁତ ସୁତ ଦାରା ହରାଇଣ ଦରମରା ହୋଇଛନ୍ତି ଥୋକେ ହେ

ରକତରେ ସରବୁଡ଼ ହୋଇଛନ୍ତି ଶକତ ଶକତ ଲୋକେ ହେ

ସଂକେତରେ କେ କହନ୍ତି, ସକାତରେ ନେତ୍ରେ ଚାହିଁଛନ୍ତି ହେ ।୩୯।

 

ଆହତ ନ ହୋଇ ଜଣେ କେହି ନାହିଁ ଆହା’ତ କରିବା ପାଇଁ ହେ

ମହତ ମହତ ଲୋକଙ୍କ ମହତ୍ତ୍ଵ ଦାଣ୍ଡରେ ପଡ଼ିଛି ଯାଇ ହେ

ଅହରହ ହାହାରବ, ଶୁଣି ବଧିର ହେଉଛି ଶ୍ରବ ହେ ।୪୦।

 

ଲାଟ କମିଶନ ବାଟ କରୁଛନ୍ତି ଏମାନଙ୍କ ସେବାଲାଗି ହେ

ଲକ୍ଷଲକ୍ଷ ଟଙ୍କା ଦାନ କରୁଛନ୍ତି ନାନାସ୍ଥାନୁଁ ଟଙ୍କା ମାଗି ହେ

ସେବାକାରୀ, ଚିକିତ୍ସକ, ରହିଗଲେଣି ତହିଁ କେତେକ ହେ ।୪୧।

 

ରାଜା ପ୍ରଜା ଦୁଃଖୀ ଧନୀ ଜମିଦାର ଦାନ କରୁଛନ୍ତି ଅର୍ଥ ହେ

ବିପନ୍ନ ବ୍ୟକ୍ତିଙ୍କ ସେବାରେ ଲାଗୁଛି ସେ ଫଳ ନ ହେବ ବ୍ୟର୍ଥ ହେ

ସ୍ଵେଚ୍ଛାସେବକ ସକଳ, ସେବା କରନ୍ତି ଦେଖି ବିକଳ ହେ ।୪୨।

 

ଜନକ ଜନନୀ ପରାୟେ ଜନଙ୍କ ସେବା କରୁଛନ୍ତି ରହି ହେ

ସେବା ତୁଳନାରେ ସେବକଙ୍କ ପରିମାଣ ବହୁତ ନୁହଇ ହେ

ଥିଲେ ମଧ୍ୟରେଳ ବାଟ, ଲୋକେ ପାତୁଥାନ୍ତି ତହିଁଥାଟ ହେ ।୪୩।

 

ଆଗ୍ରହ ସହିତ ସଂଗ୍ରହ କରିଣ ଚାନ୍ଦା କିଛି ଗ୍ରାମେ ଗ୍ରାମେ ହେ

ଲୋକଙ୍କ ସକାଶେ ଡାକରେ ପଠାଅ କଲଟରଙ୍କର ନାମେ ହେ

ବହୁପ୍ରଶଂସା ଅର୍ଜିବ, ଆଜନମ ଦୁରିତ ବର୍ଜ୍ଜିବ ହେ ।୪୪।

 

ଥିଲେ ଗୋପବନ୍ଧୁ ଦୁଃଖିଜନବନ୍ଧୁ କରିଥାନ୍ତି କେତେ କାମ ହେ

ଉତ୍କଳର ନାଆଁ ଗାଆଁ ପଡ଼ିଥାନ୍ତା ଦଇବ ହୋଇଛି ବାମ ହେ

ସେତ ଯାଇଛନ୍ତି ଚାଲି, ତାଙ୍କ ସ୍ଥାନ ପଡ଼ିଅଛି ଖାଲି ହେ ।୪୫।

 

ଲକ୍ଷ୍ମୀ ସରସ୍ଵତୀ ବିହାର ପ୍ରଦେଶେ ନ ଥିଲେ ତ ସପତଣୀ ହେ

ରାଜସେବା, କୃଷି,ବ୍ୟବସାୟ କରି ରଖିଥିଲେ ଟଙ୍କା ଖଣି ହେ

କିଏ ପାରିବ ତା ଗଣି; ଏବେ କାଚ ପାଲଟିଲା ମଣି ହେ ।୪୬।

 

ଆଠପଣ ସେ ରାଜ୍ୟରୁ ନଷ୍ଟ ହେଲା କଷ୍ଟ ପାଆନ୍ତି ମନୁଷ୍ୟ ହେ

କାଠ ଯେବେ ଏହା ପାଠକ ହୁଅନ୍ତା ତରଳି ଯାନ୍ତା ଅବଶ୍ୟ ହେ

ମଠ ନ କରିଣ ଭାଇ, କୋଠଧନରୁ ଦିଅ ପଠାଇ ହେ ।୪୭।

 

ଗାନ୍ଧି କହିଛନ୍ତି ସେ ଦେଶରେ ଜାତ ହୋଇଥିଲେ ସୀତାସତୀ ହେ

ସନ୍ଦେହ ନାହିଁ ସେ ବିଦେହ ନିଶ୍ଚୟ ଥିଲେ ଜନକ ନୃପତି ହେ

ଶୁଦ୍ଧୋଦନଙ୍କର ସୁତ, ବୁଦ୍ଧ ହୋଇଥିଲେ ଆବିର୍ଭୂତ ହେ ।୪୮।

 

ଦେବାଳୟ, ମଠତୀର୍ଥ ସନ୍ଥସାଧୁ ବ୍ରାହ୍ମଣ ଅଛନ୍ତି ଯେଣୁ ହେ

ନିଶ୍ଚୟ ଏ ସତ ଭାରତ ପୃଥ୍ଵୀକି ଭାରତ ନୁହଇ ତେଣୁ ହେ

ପାପହେବାରୁବହୁଳ, ଶାପଦେଲେକିବାଆଦିମୂଳହେ ।୪୯।

 

ଏ ପୁଣ୍ୟ କ୍ଷେତ୍ରକୁ ଶୂନ୍ୟ କରିବାକୁ ସେ କି କରିଛନ୍ତି ଇଛା ହେ

ଧୋଇ ପଛେ ପଛେ ଭୂମିକମ୍ପ ଆସି ସବୁ କରୁଛନ୍ତି ଇଛା ହେ

କିଏ ପାରିବ ତା କହି, ଯିବ ରହିବ କି ଏହି ମହୀ ହେ ।୫୦।

 

ସଚୀବାତ୍ ଏହି ପଚିଶ ହଜାରୁ ବେଶି ଲୋକଛନ୍ତି ମରି ହେ

ବଞ୍ଚିଛନ୍ତି ଯେହୁ ଘରଦ୍ଵାର ସେହି କରିବେ କାହାକୁ ଧରି ହେ

ମାତ୍ରରହିଯିବଜୀବ, ପୂର୍ବଭାଗ୍ୟକୁଫେରିଆସିବହେ ।୫୧।

 

ପଢ଼ିଅଛୁ ଆମ୍ଭେ ପ୍ରବନ୍ଧମାଳାରେ ମଧୁବାବୁ ଥିଲେ ଲେଖି ହେ

ଅଗ୍ନୁତ୍ପାତ ଭୂମିକମ୍ପ ଏ ଭାରତବାସୀ ନ ଥିଲେ ତ ଦେଖି ହେ

ଏବେ ଚାକ୍ଷୁଷ ପ୍ରମାଣ, ପାଇ ଗୋଡ଼ହାତୁ ଛାଡ଼େ ପ୍ରାଣ ହେ ।୫୨।

 

ଆଜି ତାଙ୍କୁ ହେଲା କାଲି ଆମ୍ଭେମାନେ ହେବାକୁ ସେ ଦଶାଭାଗୀ ହେ

ପ୍ରଭୁ ନ କରନ୍ତୁ ଭାଇମାନେ ମିଳି ଏହି ଭିକ୍ଷା ଥାଅ ମାଗି ହେ

ଭଗବାନଙ୍କ ଶ୍ରୀପଦେ, ନ ପକାନ୍ତୁ ଆମ୍ଭଙ୍କୁ ବିପଦେ ହେ ।୫୩।

 

ଯେତେ ଧନଜନ ଏ ଦେଶରୁ ଗଲା ସେତ ଭାରତ ସମ୍ପତ୍ତି ହେ

ସମଗ୍ର ଭାରତ ବର୍ଷକୁ ବାଧିବ ନିଶ୍ଚୟ ଏହି ବିପତ୍ତି ହେ

ଊଣାଅଧିକରେ ନରେ; ଭୋଗ କରିବେ ହେଜ ମନରେ ହେ ।୫୪।

 

ଫେବ୍ରୁୟାରୀ ମାସ ପହିଲା ତାରଖଅଗ୍ନିଜଳା ପୂର୍ଣ୍ଣିମାରେ ହେ

ଡାହାଣ ପଟକୁ ଢଳି ପଡ଼ିଛନ୍ତି କାହିଁକି ବଡ଼ ଠାକୁରେ ହେ

ଲୋକେ କରୁଛନ୍ତି ଶଙ୍କା, ଭାବିଭାବି ବିପଦ ଆଶଙ୍କା ହେ ।୫୫।

 

ଉତ୍କଳର କୁଳବୃଦ୍ଧ ବୟୋବୃଦ୍ଧା ଥିଲେ ମଧୁବାରିଷ୍ଟରେ ହେ

ଜନ୍ମଭୂମିର ସେ ବହୁ ଉପକାର କରିଥିଲେ ଜୀବନରେ ହେ

ତିନି ତାରିଖ ରାତିରେ, ଅତିଥି ହେଲେ ଯମକତିରେ ହେ ।୫୬।

 

ଚୀନ ସାମ୍ରାଜ୍ୟଟି ଛାରଖାର ହେଲା ଭାରତ ଭୂ-କମ୍ପ ଦିନ ହେ

ଫତୁରୀ ନୁହଇ ସତୁରୀଟା ଜିଲ୍ଲା ମୀନପରି ହେଲାଲୀନ ହେ

ତାର ନ ମିଳିଲା ଚିହ୍ନ, ଲୋକମାନେ ହେଲେ ଛିନ୍ନଭିନ୍ନ ହେ ।୫୭।

 

ଅୟୁତେ ଲୋକଙ୍କ ଆୟୁତ ପୂରିଲା ଆଉତ ନ ମିଳେ ପତା ହେ

କେତେକ ସହର ସମୂଳେ ବିନଷ୍ଟ ମୋଟେ ନାହିଁ ତାର ସତ୍ତା ହେ

ନ ବିଚାରି ସୃଷ୍ଟିକର୍ତ୍ତା ଭର୍ତ୍ତା ହୋଇ ହେଉଛନ୍ତି ହର୍ତ୍ତା ହେ ।୫୮।

 

ଅଠାବନ ପଦେ ଅଠାସଠା କରି କହିଲିଏ ଦେଶ ହାଲ ହେ

ଦେଖିଥିବା ଲୋକ ଲେଖିବା ବିଷୟ ହେବ ଏହାଠାରୁ ଭଲ ହେ

ଏହା ଅଟଇ କିଞ୍ଚିତ, ଦୀନ ଗୋକୁଳାନନ୍ଦର ଚିତ ହେ ।୫୯।